କଡାକଡି ହେଲା ଦଣ୍ଡବିଧାନ ବ୍ୟବସ୍ଥା, ଲୋକସଭାରେ ପାରିତ ସାର୍ବଜନୀନ ପରୀକ୍ଷା (ଆସାଧୁ ଉପାୟ ନିବାରଣ )ସଂଶୋଧନ ବିଲ୍-2026।

ଦେଶରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍, ସଂଗଠିତ ନକଲ ଗ୍ୟାଙ୍ଗ ଏବଂ ପରୀକ୍ଷାରେ ଅନିୟମିତତାକୁ କଡ଼ା ଭାବେ ରୋକିବା ପାଇଁ କେନ୍ଦ୍ର ସରକାର ଆଣିଥିବା 'ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍,-୨୦୨୬' ବୁଧବାର ଲୋକସଭାରେ ବାଚନିକ ଭୋଟରେ ପାରିତ ହୋଇଛି। ଏହି ସଂଶୋଧନ ମାଧ୍ୟମରେ ପରୀକ୍ଷାରେ ଠକେଇ କରୁଥିବା ବ୍ୟକ୍ତି, ସଂଗଠିତ ଗ୍ୟାଙ୍ଗ ଏବଂ ସମ୍ପୃକ୍ତ ସଂସ୍ଥାମାନଙ୍କ ବିରୋଧରେ ପୂର୍ବ ତୁଳନାରେ ଅଧିକ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ସେହିସହ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ମଧ୍ୟ ସମୟବଦ୍ଧ କରାଯାଇଛି ବୋଲି PIB ରିପୋର୍ଟ ରେ ପ୍ରକାଶ ପାଇଛି।

                                                                          ( AI generated photo)

ପ୍ରକାଶିତ ରିପୋର୍ଟ ଆଧାରରେ 


ଏହି ବିଲ୍‌ ଦ୍ୱାରା ୨୦୨୪ରେ ପ୍ରଣୀତ 'ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ ରେ ସଂଶୋଧନ କରାଯାଇଛି। ଏହି ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ ନିଯୁକ୍ତି ପରୀକ୍ଷା, ପ୍ରବେଶିକା ପରୀକ୍ଷା ଓ ଅନ୍ୟାନ୍ୟ ସାର୍ବଜନୀନ ପରୀକ୍ଷାରେ ନକଲ, ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ଅସାଧୁ କାର୍ଯ୍ୟକଳାପକୁ ରୋକିବା।

ଏହି ସଂଶୋଧନ ବିଲ୍ ଦେଶର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ବ୍ୟାପକ ପ୍ରତିବାଦ ପରେ ଆଣାଯାଇଛି।, ଏଭଳି ଘଟଣା ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ ଗୁରୁତର ଭାବେ କ୍ଷତିଗ୍ରସ୍ତ କରିଛି। ସେହିପାଇଁ ଆଇନକୁ ଆହୁରି କଠୋର କରିବା ଆବଶ୍ୟକ ହୋଇଥିଲା।

ସଂଶୋଧନ ଅନୁଯାୟୀ, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତିଙ୍କ ପାଇଁ ସର୍ବନିମ୍ନ କାରାଦଣ୍ଡ ୩ ବର୍ଷରୁ ବଢ଼ାଇ ୫ ବର୍ଷ କରାଯାଇଛି। ସର୍ବାଧିକ କାରାଦଣ୍ଡ ୫ ବର୍ଷରୁ ବଢ଼ାଇ ୧୦ ବର୍ଷ କରାଯାଇଛି। ସେହିପରି ସର୍ବାଧିକ ଜରିମାନା ୧୦ ଲକ୍ଷ ଟଙ୍କାରୁ ବଢ଼ାଇ ୫୦ ଲକ୍ଷ ଟଙ୍କା କରାଯାଇଛି। ଏହା ଦ୍ୱାରା ପରୀକ୍ଷାରେ ଠକେଇ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସରକାରଙ୍କ ଉଦ୍ଦେଶ୍ୟ।

ପରୀକ୍ଷା ପରିଚାଳନା ସହ ଜଡ଼ିତ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇଛି। ଏପରି ସଂସ୍ଥା ଅସାଧୁ ବ୍ୟବସ୍ଥା ରେ ଜଡ଼ିତ ଥିଲେ ସର୍ବାଧିକ ଜରିମାନା ୧ କୋଟି ଟଙ୍କାରୁ ବଢ଼ାଇ ୫ କୋଟି ଟଙ୍କା କରାଯାଇଛି। ସେମାନଙ୍କୁ ସାର୍ବଜନୀନ ପରୀକ୍ଷା ପରିଚାଳନାରୁ ବାଦ ଦେବାର ସମୟସୀମା ୪ ବର୍ଷରୁ ବଢ଼ାଇ ୮ ବର୍ଷ କରାଯାଇଛି।

କୌଣସି ସଂସ୍ଥାର ନିର୍ଦ୍ଦେଶକ କିମ୍ବା ବରିଷ୍ଠ ପରିଚାଳନା କର୍ମକର୍ତ୍ତା ଯଦି ଏପରି ଆସାଧୁ ବ୍ୟବସ୍ଥା ରେ ସମ୍ପୃକ୍ତ ଥିବା ପ୍ରମାଣିତ ହୁଅନ୍ତି, ତେବେ ସେମାନଙ୍କୁ ଅତି କମରେ ୫ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ। ସେମାନଙ୍କ ବିରୋଧରେ ଜରିମାନା ମଧ୍ୟ ୫ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି। ଏହା ଦ୍ୱାରା ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାମାନଙ୍କ ଦାୟିତ୍ୱବୋଧ ବଢ଼ିବ ବୋଲି ସରକାର ଆଶା କରୁଛନ୍ତି।

ସଂଗଠିତ ପ୍ରଶ୍ନପତ୍ର ଲିକ୍ ସଂଗଠିତ ଗ୍ୟାଙ୍ଗ କିମ୍ବା ଗ୍ୟାଙ୍ଗ ବିରୋଧରେ ମଧ୍ୟ ଦଣ୍ଡକୁ ଆହୁରି କଠୋର କରାଯାଇଛି। ଏପରି ମାମଲାରେ ସର୍ବନିମ୍ନ କାରାଦଣ୍ଡ ୫ ବର୍ଷରୁ ବଢ଼ାଇ ୭ ବର୍ଷ କରାଯାଇଥିବା ବେଳେ ସର୍ବନିମ୍ନ ଜରିମାନା ୧ କୋଟି ଟଙ୍କାରୁ ବଢ଼ାଇ ୧୦ କୋଟି ଟଙ୍କା କରାଯାଇଛି। ଏହା ଦେଶବ୍ୟାପୀ କାର୍ଯ୍ୟ କରୁଥିବା ସଂଗଠିତ ନକଲ ଗ୍ୟାଙ୍ଗ କୁ ଭାଙ୍ଗିବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

ଏହି ବିଲ୍‌ର ସବୁଠାରୁ ବଡ଼ ବ୍ୟବସ୍ଥା ହେଉଛି ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ। ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସମ୍ପୃକ୍ତ ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ କରି ଗୋଟିଏ ସେସନ୍ସ କୋର୍ଟକୁ ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟ ଭାବେ ଘୋଷଣା କରିବେ। ଏହି କୋର୍ଟରେ ମାମଲାର ଦୈନିକ ଶୁଣାଣି ହେବ ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ ଯଥାସମ୍ଭବ ୩ ମାସ ମଧ୍ୟରେ ବିଚାର ଶେଷ କରାଯିବ।

ଏହା ସହିତ ଆଇନ ଲାଗୁ ହେବା ପୂର୍ବରୁ ଚାଲିଥିବା ସମସ୍ତ ମାମଲା ମଧ୍ୟ ଏହି ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟକୁ ସ୍ଥାନାନ୍ତର କରାଯିବ। ଏହା ଫଳରେ ବର୍ଷ ବର୍ଷ ଧରି ମାମଲା ଝୁଲି ରହିବାର ସମ୍ଭାବନା କମିବ ଏବଂ ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ମିଳିପାରିବ।

ବିଲ୍‌ରେ ଏକ ସ୍ୱତନ୍ତ୍ର ଅପିଲ ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟର ରାୟ, ଦଣ୍ଡ କିମ୍ବା ଆଦେଶ ବିରୋଧରେ ସମ୍ପୃକ୍ତ ଉଚ୍ଚ ନ୍ୟାୟାଳୟର ଦୁଇଜଣ ବିଚାରପତିଙ୍କ ଖଣ୍ଡପୀଠରେ ଅପିଲ କରାଯାଇପାରିବ। ଏହି ଅପିଲ ମଧ୍ୟ ଯଥାସମ୍ଭବ ୩ ମାସ ମଧ୍ୟରେ ନିଷ୍ପତ୍ତି କରିବାକୁ ବ୍ୟବସ୍ଥା ରହିଛି। ଜାମିନ ସମ୍ବନ୍ଧୀୟ ଆଦେଶ ବିରୋଧରେ ମଧ୍ୟ ଅପିଲ କରିବାର ସୁବିଧା ଦିଆଯାଇଛି।

 ନିକଟ ଅତୀତରେ ଘଟିଥିବା ପ୍ରଶ୍ନପତ୍ର ଲିକ୍ ଘଟଣା ପରୀକ୍ଷା ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରିଛି। ସେଥିପାଇଁ କଠୋର ଦଣ୍ଡ, ଶୀଘ୍ର ତଦନ୍ତ ଓ ସମୟବଦ୍ଧ ବିଚାର ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ କରିବା ଏହି ସଂଶୋଧନର ମୂଳ ଉଦ୍ଦେଶ୍ୟ। ଏହି ବିଲ୍ ଆଇନରେ ପରିଣତ ହେଲେ ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ଦୁର୍ନୀତି ଉପରେ ଅଧିକ ପ୍ରଭାବଶାଳୀ ଅଙ୍କୁଶ ଲାଗିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ବୋଲି ରିପୋର୍ଟ ରେ ଦର୍ଶାଯାଇଛି।

Source :-Press Information Bureau (Ministry of Personnel and public Grievances & Pensions )

Comments

Popular posts from this blog

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......