ଆଜି ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ମାନଙ୍କ ସହ ବୈଠକ ଅନୁଷ୍ଠିତ।
Published by :Greatfuture Info
ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୬: ଲୋକସେବା ଭବନଠାରେ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢ଼ୀଙ୍କ ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗୀୟ ପ୍ରମୁଖ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି, ଜମି ସମ୍ବନ୍ଧୀୟ ସମସ୍ୟା, ଅନୁମୋଦନ, କାର୍ଯ୍ୟାନ୍ୱୟନରେ ରହୁଥିବା ସମସ୍ୟା ଏବଂ ଆବଶ୍ୟକ ଜିଲ୍ଲାସ୍ତରୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା , ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଏମ୍ଏସ୍ଏମ୍ଇ ବିଭାଗର ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା ।
ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଳଯୋଗାଣ ଓ ବିଭିନ୍ନ ପ୍ରକଳ୍ପଗୁଡ଼ିକରେ ଜମି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ଉପରେ ଆଲୋଚନା ହୋଇଥିଲା । ଖୋର୍ଦ୍ଧା, ସମ୍ବଲପୁର ଓ କଟକ ଜିଲ୍ଲାର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଜମି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳମାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ କ୍ରେଡିଟ୍ ରିପେମେଣ୍ଟ ଗ୍ୟାରେଣ୍ଟି ସବ୍-ସ୍କିମ୍ ଅଧୀନରେ ଛୋଟ ସହରାଞ୍ଚଳ ସଂସ୍ଥାଗୁଡ଼ିକୁ ବଜାରଭିତ୍ତିକ ଅର୍ଥ ସଂଗ୍ରହର ସୁଯୋଗ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଜ୍ୟ ପରିଚାଳନା ନିୟମର ଜିଲ୍ଲାସ୍ତରୀୟ ଅନୁପାଳନର ସମୀକ୍ଷା କରାଯାଇଥିଲା ।
ଶ୍ରମ ଓ ଇଏସ୍ଆଇ ବିଭାଗ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ୍ ପାଇଁ ଜମିର ସୁବ୍ୟବସ୍ଥା, ଶିଶୁ ଶ୍ରମ ନିରାକରଣ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ, ଶ୍ରମ ନିରୀକ୍ଷଣ କମିଟି ଏବଂ ରାସାୟନିକ ଦୁର୍ଘଟଣା ପାଇଁ ଜିଲ୍ଲା ଓ ସ୍ଥାନୀୟ ସଙ୍କଟ ପରିଚାଳନା ଗୋଷ୍ଠୀର ନିୟମିତ ବୈଠକ ଓ ମକ୍ ଡ୍ରିଲ୍ ଉପରେ ଆଲୋଚନା ହୋଇଥିଲା ।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷଣ ମାସ-୨୦୨୬, ‘ସୁପୋଷିତ ଓଡ଼ିଶା’ ମିଶନ, ଡିଜିଟାଲ୍ ନିରୀକ୍ଷଣ ଫର୍ମ ଆଦି ବିଭିନ୍ନ ପ୍ରସଙ୍ଗ ସମୀକ୍ଷା କରାଯାଇଥିଲା । ପୋଷଣ ମାସ ସମୟରେ ଶିଶୁମାନଙ୍କ ଅପପୋଷଣ ଚିହ୍ନଟ ଓ ରେଫରାଲ୍, ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ, ପିତାମାନଙ୍କ ଅଂଶଗ୍ରହଣ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୋଷଣ ସେବାର ପହଞ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବାୟୋମେଡିକାଲ୍ ବର୍ଜ୍ୟ ପରିଚାଳନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜମି, ଆୟୁଷ ମେଡିକାଲ୍ କଲେଜ୍, ‘ଆମ ହସ୍ପିଟାଲ୍’ କାର୍ଯ୍ୟ ଏବଂ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାଭିତ୍ତିକ ଅଗ୍ରଗତି ଆଲୋଚନା ହୋଇଥିଲା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘ସୃଜନିକା’ କ୍ରାଫ୍ଟ କ୍ଲଷ୍ଟର, ପ୍ରମୁଖ କ୍ରାଫ୍ଟ କ୍ଲଷ୍ଟର, ହସ୍ତଶିଳ୍ପ, ହସ୍ତତନ୍ତ, ରେଶମ ଓ ବୟନ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଜିଲ୍ଲାଭିତ୍ତିକ ଜମି ଆବଣ୍ଟନ, ପ୍ରକଳ୍ପ ଡିପିଆର୍ ଏବଂ ବିଭିନ୍ନ କାର୍ଯ୍ୟାନ୍ୱୟନ ବାଧା ଦୂର କରିବା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏଗ୍ରିଷ୍ଟାକ୍ ଅଧୀନରେ କୃଷକ ପଞ୍ଜୀକରଣ ଏବଂ ଖରିଫ-୨୦୨୬ ଡିଜିଟାଲ୍ କ୍ରପ୍ ସର୍ଭେର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆବାସିକ ହଷ୍ଟେଲ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସହ ଛାତ୍ରଛାତ୍ରୀଙ୍କ ଆପାର୍ ଆଇଡି ସୃଷ୍ଟି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହେବା, ଏମ୍ଏସ୍ଏମ୍ଇ ପାର୍କ, ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ କ୍ରେଡିଟ୍ ସୁବିଧା ସମ୍ପର୍କରେ ଅଗ୍ରଗତି ସମୀକ୍ଷା ହୋଇଥିଲା । ରାଜ୍ୟରେ ୩୦ଟି ଜିଲ୍ଲାରେ ୩୦ଟି ଏମ୍ଏସ୍ଏମ୍ଇ ପାର୍କ ବିକଶିତ କରିବାର ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ବୈଠକରେ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଜିଲ୍ଲାରେ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ଜମି ଅଧିଗ୍ରହଣ, ପ୍ରକଳ୍ପ ଅନୁମୋଦନ, ନିର୍ମାଣ ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ସମସ୍ୟାଗୁଡ଼ିକର ସମୟସୀମା ମଧ୍ୟରେ ସମାଧାନ କରିବା ସହ ନିୟମିତ ଭାବେ ପ୍ରଗତିର ସମୀକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାସ୍ତରୀୟ ନିରୀକ୍ଷଣ ଓ ବିଭାଗୀୟ ସମନ୍ୱୟ ମାଧ୍ୟମରେ ଅନୁମୋଦିତ ପ୍ରକଳ୍ପ ଓ ଯୋଜନାଗୁଡ଼ିକର ଲାଭ ଲୋକଙ୍କ ନିକଟରେ ଯେପରି ଶୀଘ୍ର ପହଞ୍ଚି ପାରିବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ
Comments
Post a Comment