ନୂତନ ଭୋଟର ପାଇଁ ଆବେଦନ ସମୟରେ ପିତା -ମାତା ଙ୍କ SIR ବିବରଣୀ ଦେବା ବାଧ୍ୟତାମୂଳକ।
ନିର୍ବାଚନ କମିଶନ ଭୋଟର ତାଲିକାରେ ନାମ ଯୋଡ଼ିବା ପ୍ରକ୍ରିୟାକୁ ନେଇ ଏକ ନୂଆ ନିର୍ଦ୍ଦେଶ ଜାରି କରିଛି। ବର୍ତ୍ତମାନ ଫର୍ମ-୬ ମାଧ୍ୟମରେ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବାକୁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କୁ ନିଜ ମାତା-ପିତାଙ୍କ Special Intensive Revision (SIR) ସମ୍ବନ୍ଧୀୟ ବିବରଣୀ ମଧ୍ୟ ଦାଖଲ କରିବାକୁ ପଡ଼ିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।
( AI generated photo)ନିର୍ବାଚନ କମିଶନର ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ବ୍ୟବସ୍ଥା କେବଳ ପୂର୍ବରୁ ଭୋଟର ତାଲିକାରେ ଥିବା ମତଦାତାଙ୍କ ପାଇଁ ନୁହେଁ, ବରଂ ନୂଆ ଭୋଟର ଭାବେ ନାମ ଯୋଡ଼ିବାକୁ ଆବେଦନ କରୁଥିବା ସମସ୍ତଙ୍କ ପାଇଁ ମଧ୍ୟ ପ୍ରଯୋଜ୍ୟ ହେବ।
ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଫର୍ମ-୬ର ମୂଳ ଢାଞ୍ଚାରେ କୌଣସି ସଂଶୋଧନ କରାଯାଇନାହିଁ। କେବଳ ପ୍ରଶାସନିକ ନିର୍ଦ୍ଦେଶ ମାଧ୍ୟମରେ ଏହି ଘୋଷଣାପତ୍ର ଯୋଡ଼ାଯାଇଛି। ଏହା ଦ୍ୱାରା ନୂଆ ଭୋଟରଙ୍କ ପରିଚୟ ଯାଞ୍ଚ ଓ ମ୍ୟାପିଂ ପ୍ରକ୍ରିୟା ସହଜ ହେବା ସହ ଅତିରିକ୍ତ ଦସ୍ତାବେଜ ଦାଖଲ କରିବାର ଆବଶ୍ୟକତା ମଧ୍ୟ କମିବ।
ଏହି ବ୍ୟବସ୍ଥା ପ୍ରଥମେ ବିହାରରେ ଚାଲୁଥିବା ବିଶେଷ ସଂଶୋଧନ ଅଭିଯାନ (SIR) ସମୟରେ ପ୍ରୟୋଗ କରାଯାଇଥିଲା। ସେତେବେଳେ ନୂଆ ଭୋଟରମାନେ ଫର୍ମ-୬ ସହ ଏହି ଘୋଷଣାପତ୍ର ମଧ୍ୟ ଦାଖଲ କରୁଥିଲେ ବୋଲି ଦୈନିକ SIR ବୁଲେଟିନରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ, ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ସମେତ ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରଙ୍କ ନାମ ବହୁ ସଂଖ୍ୟାରେ ତାଲିକାରୁ ବାଦ ପଡ଼ୁଥିବା ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିଛି। କମିଶନ କହିଛି ଯେ, ଯଦି କାହାର ନାମ ବାଦ ପଡ଼େ, ତେବେ ସେଥିପାଇଁ ଆପତ୍ତି ଜଣାଇବା ଓ ପୁନଃ ବିଚାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉଛି। କୌଣସି ସମ୍ପ୍ରଦାୟ ପ୍ରତି ପକ୍ଷପାତ କରାଯାଉନାହିଁ ବୋଲି ମଧ୍ୟ କମିଶନ ସ୍ପଷ୍ଟ କରିଛି।
ଏହାରି ମଧ୍ୟରେ ଜାତିସଂଘ ର ବିଶେଷ ରାପୋର୍ଟରମାନେ ଭାରତ ସରକାରଙ୍କୁ ପଠାଇଥିବା ଏକ ଚିଠିରେ SIR ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମତରେ, ଏହି ପ୍ରକ୍ରିୟା ପର୍ଯ୍ୟାପ୍ତ ସ୍ୱଚ୍ଛ ନୁହେଁ ଏବଂ ଏଥିରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବଞ୍ଚନା ନେଇ ଆଶଙ୍କା ରହିଛି।
Source :-THE HINDU
Comments
Post a Comment