ଭୋଟର ତାଲିକା ରେ ତ୍ରୁଟି ସୁଧାରିବା ପାଇଁ ସେପ୍ଟେମ୍ବର 3 ରୁ ଭୁବନେଶ୍ୱର ରେ ପାଇଲଟ ସର୍ଭେ ଓ ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ।

Published by: Greatfuture Info

ଭୁବନେଶ୍ୱର, ୩୧ ଅଗଷ୍ଟ:

 ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ବୁଲ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି। ଏହି ଅଭିଯାନର ପାଇଲଟ୍ ପ୍ରକଳ୍ପ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସେପ୍ଟେମ୍ବର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ କରାଯିବ।

ପାଇଲଟ୍ ସର୍ଭେ ଅଧୀନରେ ଭୁବନେଶ୍ୱରର ତିନିଟି ବିଧାନସଭା କ୍ଷେତ୍ରର ତିନିଟି ୱାର୍ଡରେ ଘରକୁ ଘର ସର୍ଭେ କରାଯିବ। ଏଥିରେ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୧୦, ଭୁବନେଶ୍ୱର-ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୩୫ ଏବଂ ଭୁବନେଶ୍ୱର-ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୫୨ ସାମିଲ ରହିଛି।

ପାଇଲଟ୍ ସର୍ଭେର ଅଭିଜ୍ଞତା ଆଧାରରେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ରଗୁଡ଼ିକର ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସୁବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ, ବର୍ତ୍ତମାନ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍‌ରେ ସାମିଲ ହୋଇଥିବା ଭଳି ସମସ୍ୟା ଦେଖାଦେଉଛି। ଏହା ସହିତ କେତେକ ସ୍ଥାନରେ ଘର ନମ୍ବର ଅସ୍ପଷ୍ଟ ରହିବା ଭଳି ଜଟିଳତା ମଧ୍ୟ ରହିଛି। ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରିବା ଏହି ସର୍ଭେର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।

ସହରାଞ୍ଚଳରେ ଥିବା ଅଧିକାଂଶ ବିଧାନସଭା ବୁଥ୍‌ର ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନଥିବାରୁ ଗୋଟିଏ ବୁଥ୍‌ରେ ୧୦ରୁ ୧୨ଟି ଭିନ୍ନ ଅଞ୍ଚଳର ଭୋଟର ସାମିଲ ହୋଇଥିବା ଆୟୋଗ ଦର୍ଶାଇଛନ୍ତି। ଏପରିକି ଗୋଟିଏ ୱାର୍ଡର ଭୋଟରଙ୍କୁ ଅନ୍ୟ ଏକ ୱାର୍ଡରେ ଭୋଟ୍ ଦେବାକୁ ପଡ଼ୁଥିବାରୁ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଇଛି।

ନୂତନ ସର୍ଭେ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ମତଦାନ କେନ୍ଦ୍ରରେ ଭୋଟ୍ ଦେବାର ସୁଯୋଗ ମିଳିପାରିବ। ସେହିପରି ଗୋଟିଏ ୱାର୍ଡର ଭୋଟରଙ୍କ ନାମ ଯଦି ବିଭିନ୍ନ ୱାର୍ଡର ଭୋଟର ତାଲିକାରେ ରହିଥାଏ, ତେବେ ସର୍ଭେ ପରେ ସେମାନଙ୍କୁ ଗୋଟିଏ ୱାର୍ଡରେ ରଖାଯିବ। ଏହା ଫଳରେ ଭୋଟରଙ୍କ ପାଇଁ ମତଦାନ ପ୍ରକ୍ରିୟା ଅଧିକ ସହଜ ହେବ ବୋଲି ଆଶା କରାଯାଉଛି।

ସହରାଞ୍ଚଳରେ ମତଦାନ ହାର କମିବାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ନୂତନ ବ୍ୟବସ୍ଥା ମାଧ୍ୟମରେ ଏହି ସମସ୍ୟାର ସମାଧାନ ସହ ମତଦାନରେ ଭୋଟରଙ୍କ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୋଗ ଲକ୍ଷ୍ୟ ରଖିଛନ୍ତି।

ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ସର୍ଭେ ସମୟରେ ଭୋଟରମାନେ ସଠିକ୍ ତଥ୍ୟ ପ୍ରଦାନ କରି ସର୍ଭେ ଟିମ୍‌କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି।

ଏହି ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ ଓ ସୁବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି।

Comments

Popular posts from this blog

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......