କେଡିଏର ୪୪ତମ ପ୍ରତିଷ୍ଠା ଦିବସ ପାଳିତ, ସ୍ଥାୟୀ ଓ ଲୋକାଭିମୁଖୀ ସହରୀ ବିକାଶ ଉପରେ ଗୁରୁତ୍ୱ।

Published by: Greatfuture Info

Kataka, September 1, 

  କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ (କେଡିଏ) ପକ୍ଷରୁ ମଙ୍ଗଳବାର ଏହାର ୪୪ତମ ପ୍ରତିଷ୍ଠା ଦିବସ  ପାଳିତ ହୋଇଛି। କଟକ ସେକ୍ଟର-୬ସ୍ଥିତ ୱିଣ୍ଡସର ପ୍ଲେସ୍‌ରେ ଏହି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେଡିଏର ଉପାଧ୍ୟକ୍ଷା ସୁଶ୍ରୀ  କିରଣଦୀପ୍ କୌର ସହୋତା, କହିଥିଲେ ଯେ, କେଡିଏର ୪୪ ବର୍ଷର ଯାତ୍ରା କେବଳ ସମୟର ମାପକାଠି ନୁହେଁ, ବରଂ ଏହା ଦଶନ୍ଧି ଦଶନ୍ଧି ଧରି କଟକ ସହରରେ ଘଟିଥିବା ପରିବର୍ତ୍ତନ ଓ ବିକାଶର ପ୍ରତିଫଳନ।


 ସେ କହିଥିଲେ, “ଗତ ଚାରି ଦଶନ୍ଧି ମଧ୍ୟରେ କଟକ ସହରରେ ବ୍ୟାପକ ବିକାଶ ଓ ପରିବର୍ତ୍ତନ ଘଟିଛି। ସହରର ବିକାଶ ଜାରି ରହିଥିବା ବେଳେ ଲୋକଙ୍କ ଆଶା ଓ ଆକାଂକ୍ଷା ମଧ୍ୟ ବଢ଼ିଚାଲିଛି। ଏହି ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି କେଡିଏ ପକ୍ଷରୁ ସୁଚିନ୍ତିତ, ସ୍ଥାୟୀ ଓ ଲୋକାଭିମୁଖୀ ସହରୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।” ସେ ଆହୁରି ସୂଚନା ଦେଇଥିଲେ ଯେ, ଖୁବଶୀଘ୍ର କେଡିଏ ପକ୍ଷରୁ ମହାନଦୀ ରିଭରଫ୍ରଣ୍ଟ ବିକାଶ, ଅଟଳ ପାର୍କ, ବାଇମୁଣ୍ଡି ପାର୍କ ଓ କନଭେନସନ୍ ସେଣ୍ଟର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନିଆଯିବ। ସିଲଭର ସିଟି କଟକର ସ୍ଥାୟୀ ବିକାଶ ପ୍ରତି କେଡିଏର ପ୍ରତିବଦ୍ଧତାକୁ ଦୋହରାଇ ସୁଶ୍ରୀ  ସହୋତା କହିଥିଲେ ଯେ, ବିକାଶ କେବଳ ରାସ୍ତା, କୋଠାବାଡ଼ି ଓ ଅନ୍ୟାନ୍ୟ ଭୌତିକ ଭିତ୍ତିଭୂମି ନିର୍ମାଣରେ ସୀମିତ ନୁହେଁ । “ପ୍ରକୃତ ବିକାଶ ହେଉଛି ନାଗରିକଙ୍କ ଜୀବନକୁ ଅଧିକ ସହଜ, ନିରାପଦ ଓ ସୁବିଧାଜନକ କରିବା,” ବୋଲି ସେ କହିଥିଲେ ।

  ଏହି ଅବସରରେ ଉପାଧ୍ୟକ୍ଷା କେଡିଏର ବିଭିନ୍ନ ଚାଲୁଥିବା  ଓ ଆଗାମୀ ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରିବା ସହ କଟକର ବିକାଶରେ କେଡିଏର ଅଧିକାରୀ ଓ କର୍ମଚାରୀମାନଙ୍କ ନିଷ୍ଠା, ପ୍ରତିବଦ୍ଧତା ଓ ଅବଦାନକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ କେଡିଏର ସଚିବ ଶ୍ରୀ ଜନକ କୁମାର ନାୟକ କହିଥିଲେ ଯେ, ପ୍ରତିଷ୍ଠା ଦିବସ କେବଳ କର୍ତ୍ତୃପକ୍ଷର ପ୍ରତିଷ୍ଠାକୁ ସ୍ମରଣ କରିବାର ଅବସର ନୁହେଁ, ବରଂ ଏହା ଅଧିକାରୀ ଓ କର୍ମଚାରୀଙ୍କ ସାମୂହିକ ପ୍ରୟାସକୁ ସ୍ୱୀକୃତି ଦେବାର ମଧ୍ୟ ଏକ ସୁଯୋଗ। ସେ କହିଥିଲେ, “ସମଗ୍ର କେଡିଏ ଟିମ୍‌ର ମିଳିତ ପ୍ରୟାସ ଯୋଗୁଁ କଟକର ବିକାଶ ଓ ପ୍ରଗତି ସମ୍ଭବ ହୋଇଛି। ଏକ ଉନ୍ନତ ଓ ଅଧିକ ବାସଯୋଗ୍ୟ ସହର ଗଠନର ଲକ୍ଷ୍ୟ ହାସଲ ପାଇଁ ଟିମ୍‌ୱର୍କ ଓ ସାମୂହିକ ଦାୟିତ୍ୱ ଅତ୍ୟନ୍ତ ଆବଶ୍ୟକ।”

 କାର୍ଯ୍ୟକ୍ରମରେ କେଡିଏର ୮ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କର କାର୍ଯ୍ୟ ଓ କର୍ତ୍ତୃପକ୍ଷଙ୍କର ବିଭିନ୍ନ ବିକାଶମୂଳକ ପଦକ୍ଷେପରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

କେଡିଏର ଇଞ୍ଜିନିୟରିଂ ସଦସ୍ୟ ଇଞ୍ଜିନିୟର ଅତୁନ କୁମାର ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଡିଏର ଅର୍ଥ ସଦସ୍ୟ  ପ୍ରଣବ କୁମାର ତ୍ରିପାଠୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉମା କୁମାରୀ ମାଝୀ, ଉପ ଅର୍ଥ ପରିଚାଳକ  ସୀମାନ୍ତ ସେନାନାୟକ, ଏଟିପି ବିଷ୍ଣୁ ପ୍ରସାଦ ସାହୁ ଏବଂ ଭୂମି ଅଧିକାରୀ ସମ୍ପଦ କୁମାର ସ୍ୱାଇଁଙ୍କ ସମେତ କେଡିଏର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Comments

Popular posts from this blog

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......