ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୪ତମ ପ୍ରତିଷ୍ଠା ଦିବସ ପାଳିତ।

Published by: Greatfuture Info

ଭୁବନେଶ୍ବର, ୭ ସେପ୍ଟେମ୍ବର ୨୦୨୬: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ ବିଧାୟକ ରୁପୁ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡଃ ଏନ୍. ତିରୁମାଲା ନାୟକ ଉପସ୍ଥିତ ଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିୟତି ପଟ୍ଟନାୟକ,  ପରିଷଦର ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ବେହେରା, ଉପାଧ୍ୟକ୍ଷ ଅକ୍ରୁର ବାରିକ, ପରୀକ୍ଷା ନିୟନ୍ତ୍ରକ ଡ ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।  

ଏହି ଅବସରରେ ମୁଖ୍ୟ ଅତିଥି ପରିଷଦର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ପ୍ରଶଂସା କରିବା ସହ ଗୁଣାତ୍ମକ ଶିକ୍ଷାକୁ ଦ୍ବିଗୁଣିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଛନ୍ତି, ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିବାରେ ପରିଷଦ ସର୍ବଦା ନିଜର ଆକୁଣ୍ଠ ପ୍ରୟାସ କରି ଆସିଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପରିଷଦ ଶିକ୍ଷାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୁକ୍ତ-ତଥା-ଶାସନ ସଚିବ ଆଲୋକପାତ କରିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଅଭିଜ୍ଞତାମୂଳକ ଶିକ୍ଷା (experiential learning) ଉପରେ ପର୍ଯ୍ୟବେସିତ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ପ୍ରାଥମିକତା ଦିଆଯାଉଛି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ବିଜ୍ଞାନ ବିଭାଗ ପାଇଁ ଓଡ଼ିଆରେ ସନ୍ଦର୍ଭ ପୁସ୍ତକ (reference books) ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଡିଜିଟାଲ୍ ବିଷୟବସ୍ତୁ ବିକଶିତ କରିବାକୁ ପରିଷଦକୁ ୧୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଧନ୍ଦାମୂଳକ ଶିକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି, ଯେପରି ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପାସ୍ କରିବା ପରେ ଅନ୍ତତଃ ଗୋଟିଏ ଟ୍ରେଡ୍‌ରେ ଦକ୍ଷ ହୋଇପାରିବେ, ଏହାସହିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କରାଯାଉଛି ।

ବିଭାଗୀୟ ସଚିବ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଉଭୟକୁ ଗୋଟିଏ ବୋର୍ଡରେ ମିଶ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହା ବ୍ୟତୀତ ସେ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ (SIOS) ଅର୍ଥାତ୍ ଓପନ୍ ସ୍କୁଲିଂ ଜରିଆରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁମୋଦନ ଦେଇଛନ୍ତି  ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ପଟ୍ଟନାୟକ ପରିଷଦର ୪୩ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ସଦସ୍ୟଙ୍କୁ ଶୁଭକାମନା ଜଣାଇଛନ୍ତି । ସ୍ବାଗତ ଅଭିଭାଷଣ ପ୍ରଦାନ କରି ପରିଷଦର ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କର ପ୍ରାରମ୍ଭିକ ଶିକ୍ଷାର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ପିଲାଙ୍କ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବାକୁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆହ୍ବାନ କରିଥିଲେ । ପରିଷଦର ପରୀକ୍ଷା ନିୟନ୍ତ୍ରକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, କାର୍ଯ୍ୟକ୍ରମରେ ପରିଷଦର ସଚିବଙ୍କ ଦ୍ବାରା ବାର୍ଷିକ ବିବରଣୀ ଉପସ୍ଥାପନା କରାଯାଇଥିଲା । ପରିଷଦର ବାର୍ଷିକ ସ୍ମରଣିକା “ପ୍ରଜ୍ଞା” କୁ ଅତିଥିମାନେ ଉନ୍ମୋଚନ କରିବା ସହ ଡିବେଟ୍ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହ ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  

Follow the Greatfuture Info channel on WhatsApp:

Comments

Popular posts from this blog

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......