ସିଏସଆଇଆର-ଆଇଏମଏମଟି ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ।

Published by: Greatfuture Info

ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୬:

ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା କନସୁଲ ଜେନେରାଲଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି (CSIR-IMMT) ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ପ୍ରତିନିଧି ଦଳ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଏବଂ ବରିଷ୍ଠ ବିଜ୍ଞାନୀମାନଙ୍କ ସହ ଆଲୋଚନା କରିଥିଲେ। କ୍ରିଟିକାଲ ମିନେରାଲ୍ସ (ଗୁରୁତ୍ୱପୂର୍ଣ୍ଣ ଖଣିଜ) ଏବଂ ଉନ୍ନତ ପ୍ରସେସିଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଆମେରିକା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।


ଏହି ପ୍ରତିନିଧି ଦଳ ସଂସ୍ଥାନର ଗବେଷଣାଗାର ସମେତ ଖଣିଜ ପ୍ରକ୍ରିୟାକରଣ ପାଇଲଟ ପ୍ଲାଣ୍ଟ, ପିଜିଏମ୍‍ ପାଇଲଟ ପ୍ଲାଣ୍ଟ ଏବଂ ସି-ବେଡ ମିନେରାଲ୍ସ ପାଇଲଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସଂସ୍ଥା ଦ୍ୱାରା ହେଉଥିବା ଅଗ୍ରଗତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଯାଇଥିଲା। ଏନସିଏମଏମ ଅଧୀନରେ ସିଏସ୍‍ଆଇଆର-ଆଇଏମଏମଟି ଉତ୍କର୍ଷ କେନ୍ଦ୍ର ଏବଂ ବ୍ୟବସାୟ ବିକାଶ ଶାଖାର ମୁଖ୍ୟ ଡ. କାଳୀ ସଞ୍ଜୟ, ବିଭିନ୍ନ ଶିଳ୍ପ ଓ ଅନୁଷ୍ଠାନଗୁଡ଼ିକ ସହ ଅନୁଷ୍ଠାନର ସହଯୋଗିତା ଏବଂ ଅନୁଷ୍ଠାନର ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ କ୍ରିଟିକାଲ ମିନେରାଲ୍ସ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଦୁର୍ଲଭ ମୃତ୍ତିକା କ୍ଷେତ୍ରରେ ସୁରକ୍ଷିତ ଓ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ଗଢ଼ିତୋଳିବା ପାଇଁ ଟ୍ରଷ୍ଟ (TRUST) ଏବଂ ପାକ୍ସ ସିଲିକା (Pax Silica) ପଦକ୍ଷେପ ଅଧୀନରେ ଥିବା ଦ୍ୱିପାକ୍ଷିକ ପ୍ରାଥମିକତାକୁ ଦୃଷ୍ଟିରେ ରଖି କନସୁଲ ଜେନେରାଲ ଲୋରା ୱିଲିୟମ୍ସ,ଏହି ପ୍ରତିଷ୍ଠାନ ଏବଂ ଆମେରିକାର ଗବେଷଣା ସଂସ୍ଥାଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ସହଯୋଗ ଏବଂ ସଂସ୍ଥାଗତ ସଂଯୋଗର ସମ୍ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ।

ନିରନ୍ତର ବୈଜ୍ଞାନିକ ସହଯୋଗର ପ୍ରତିବଦ୍ଧତାକୁ  ସ୍ମରଣୀୟ କରିବା ପାଇଁ ଅନୁଷ୍ଠାନ ପରିସରରେ  ବୃକ୍ଷରୋପଣ  ଆୟୋଜନ କରାଯାଇଥିଲା।


Comments

Popular posts from this blog

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......