ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ଓଡିଶା ଉତ୍ସବମୁଖର,କଟକ ଏବଂ ଭୁବନେଶ୍ୱରରେ ମହା ଆଡ଼ମ୍ୱରରେ ପାଳିତ ହେଉଛି ପୂଜା।
Published by:Greatfuture Info
Bhubaneswar, October 20,
ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ସାରା ଓଡ଼ିଶା । ଧୂପ, ଦୀପ ଓ ମନ୍ତ୍ରଧ୍ୱନି ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହରଠାରୁ ପୁରପଲ୍ଲୀ । ମା’ଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ପରିବେଶ । ଆକର୍ଷଣୀୟ ତୋରଣ, ଭବ୍ୟ ପୂଜାମଣ୍ଡପ ଓ ମା’ଙ୍କ ଦିବ୍ୟ ରୂପ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
କଟକ ଓ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା- ଦିବ୍ୟ ଅନୁଭୂତି ଦେଉଛି । ମା’ଙ୍କ ମୁଖମଣ୍ଡଳରେ ଦିବ୍ୟ ତେଜ, ଆଖିରେ କରୁଣା ଓ ଦଶଭୁଜାରେ ଶୋଭା ପାଉଛି ବିଭିନ୍ନ ଅସ୍ତ୍ରଶସ୍ତ୍ର । ସିଂହବାହିନୀ ମା’ ମହିଷାସୁରମର୍ଦ୍ଦିନୀଙ୍କ ଦିବ୍ୟ ସ୍ୱରୂପ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଓ ଆସ୍ଥା ଭରିଦେଉଛି । ଲାଲ୍ ପାଟବସ୍ତ୍ର, ସୁନାର ଅଳଙ୍କାର ଓ ମୁକୁଟରେ ସଜ୍ଜିତ ମା’ଙ୍କ ମନୋହର ରୂପ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ସମାଗମ ହେଉଛି । ଏହି ଦିବ୍ୟ ରୂପ ଅନ୍ୟାୟ ଉପରେ ନ୍ୟାୟ, ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ।
ଚଳିତ ବର୍ଷ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ଥିମ୍ର ଝଲକ । କେଉଁଠି ଚାରିଧାମର ଆଧ୍ୟାତ୍ମିକ ପରିବେଶ, ତ ଆଉ କେଉଁଠି ବିଶ୍ୱପ୍ରସିଦ୍ଧ ସ୍ଥାପତ୍ୟର ଅବିକଳ ରୂପ । ଡମଣା, ଝାରପଡା , ସହିଦନଗର, ବରମୁଣ୍ଡା ନୟାପଲ୍ଲୀ ଓ ରସୁଲଗଡ଼ ଭଳି ଅଞ୍ଚଳରେ ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା ଦର୍ଶକଙ୍କୁ ଆକୃଷ୍ଟ କରୁଛି । ମା’ଙ୍କ ଦର୍ଶନ ସହ ପରିବାର ସହ ପୂଜା ବୁଲିବାର ଆନନ୍ଦ ନେଉଛନ୍ତି ଲୋକେ ।
ଅନ୍ୟପଟେ, ଐତିହାସିକ ସହର କଟକର ଦୁର୍ଗାପୂଜାର ରହିଛି ସ୍ୱତନ୍ତ୍ର ପରିଚୟ । ଏଠାକାର ଚାନ୍ଦି ମେଢ଼, ସୁନାର ଅଳଙ୍କାର ଓ ଆକର୍ଷଣୀୟ ତୋରଣ ପୂଜାର ମୁଖ୍ୟ ଆକର୍ଷଣ । ସୂକ୍ଷ୍ମ ତାରକସି କାରୁକାର୍ଯ୍ୟରେ ନିର୍ମିତ ରୂପା ମେଢ଼ ମା’ଙ୍କ ମୂର୍ତ୍ତିର ଶୋଭାକୁ ଦ୍ୱିଗୁଣିତ କରୁଛି । ରଙ୍ଗବେରଙ୍ଗ ଆଲୋକମାଳା ଓ ଭବ୍ୟ ସାଜସଜ୍ଜାରେ ଝଲସୁଛି ସହରର ଗଳିକନ୍ଦି । କଟକର ଏହି ଚାନ୍ଦି ମେଢ଼ କେବଳ ଆକର୍ଷଣର କେନ୍ଦ୍ର ନୁହେଁ, ବରଂ ସହରର ପାରମ୍ପରିକ କଳା, ସଂସ୍କୃତି ଓ କାରିଗରଙ୍କ ନିପୁଣତାର ପରିଚୟ ପାଲଟିଛି ।
ଦୁର୍ଗାପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । ମା’ଙ୍କ ଆରାଧନା ସହ ଲୋକଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସଦ୍ଭାବର ବାର୍ତ୍ତା ବାଣ୍ଟୁଛି ଏହି ପର୍ବ । ବିଭିନ୍ନ ସାଂସ୍କୃତିକ ଆୟୋଜନ, ମେଳା ଓ ଖାଦ୍ୟ ଷ୍ଟଲ୍ ପୂଜାର ଆକର୍ଷଣକୁ ଆହୁରି ବଢ଼ାଇଦେଉଛି । ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ମା’ଙ୍କ ଆଗମନରେ ଭକ୍ତିରେ ଭିଜୁଛି ପ୍ରତିଟି ହୃଦୟ । ଭୁବନେଶ୍ୱରର ଭବ୍ୟ ତୋରଣ ହେଉ କି କଟକର ଚାନ୍ଦି ମେଢ଼, ସବୁଠି ଦେଖିବାକୁ ମିଳୁଛି ଆସ୍ଥା, କଳା ଓ ପରମ୍ପରାର ଅପୂର୍ବ ସମନ୍ୱୟ । ମା’ ଦୁର୍ଗାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ, ଏଥିପାଇଁ ପ୍ରାର୍ଥନା କରାଯାଉଛି ।
Comments
Post a Comment